Unknown

କର୍ମସଙ୍ଗୀତ

ଭିକାରୀଚରଣ ପଟ୍ଟନାୟକ

 

ପ୍ରଥମ ଭାଗ

ସୂଚୀ

୧ । ତାଳପତର

୨ । କୁଟା

୩ । କାଇଚ

୪ । କିଆ

୫ । ଗାଲିଚା

୬ । ସୁଆଁ ଲଇ

୭ । ଏଣ୍ଡି

୮। ଝୋଟ

୯। ଗଛ-ଛାଲିରୁ ରଙ୍ଗ

୧୦। ସତରଞ୍ଜି

 

୧। ତାଳପତର

(କୁଆଁ ରପୂନେଇ ଗୀତ ସ୍ୱରରେ ଗାଇବ ।)

ତାଳପତରର ଗୁଣ

ଯେତେ ଗାଇଲେ ତ            ସରଇ ନାହିଁ ଗୋ

ବଢ଼ିଯାଏ ପୁଣ ପୁଣ ।

ବିଧାତା ଗଢ଼ିଛି ତାକୁ

କେତେ ଭାଳି ଭାଳି            ଆମରି ପାଇଁ ଗୋ

ହାତକାମ ଶିଖିବାକୁ ।

 

ତାଳପତର ନ ଥାନ୍ତା

କିଏ କାହୁଁ କହ            କେତେ ଦରବ ଗୋ

ଆମକୁ ଆଣି ଯୋଗାନ୍ତା ।

ତାଳଗଛ ସବୁଠାରେ

ଆମରି ପାଇଁ କି            ସିନା ଉଠୁଛି ଗୋ

ବାଡ଼ିରେ ବଣ ବୁଦାରେ ।

 

କଉଡ଼ି ନ ଗଣି କାହିଁ

ଆଣୁଛେଁ ପତର            ଆମେ ଗୋଟାଇ ଗୋ

ଖାଲି ଖାଲି ଧାଇଁ ଯାଇ ।

ପତରଚିରାଟି ଆଗ

ନ ହେଲେ ନ ହେବ            କିଛି ସୁନ୍ଦର ଗୋ

ପତର ଗୁଡ଼ାକ ବାଗ ।

 

ସିଧା କରି ଚିରିବାକୁ

ଭିକାରି ବାବୁଙ୍କ            ‘ପତର କଟା’ ଗୋ

ଠିକଣା ହୋଇଛି ତାକୁ ।

ପାଦରେ ଧରିବ ମାଡ଼ି

ଏପାଖେ ପତର            ଦେଇ ସେପାଖେ ଗୋ

ଟାଣି ନେଉଥିବ କାଢ଼ି ।

 

ଦିନକେ ନ ହେବ ଯେତେ

ପତର କଟା’ରେ            ଘଡ଼ିକେ ସିନା ଗୋ

ଚିରି ହୋଇଯିବ ତେତେ ।

ପହିଲେ ପତର ପଟି

ନାନା ପରକାରେ            ଶିଖି ପାରିବ ଗୋ

ଦିନ ଦୁଇଟାରେ ଖଟି ।

 

ପଟିବୁଣା ବଡ଼ ସଜ

ତିନୋଟି ଶାଖାରେ            ଜାଣନ୍ତି ସବୁ ଗୋ

ଚାରି ଶାଖାରେ ଅସଜ ।

କଲୀପଟି ବଡ଼ ଭିଡ଼

ନ ଶିଖିଲେ ତାକୁ            କିଏ ବୁଣିବ ଗୋ

କହିଲେ ପଛକେ ଚିଡ଼ି ।

 

କଲୀପଟି ଯୋଡ଼ି ଯୋଡ଼ି

ବେଗ୍‌ଠାରୁ ଟୋପି            ସାହାବ ଟୋପି ଗୋ

ବୁଣିବ ଛୁଞ୍ଚିରେ ଫୋଡ଼ି ।

ହାତପଙ୍ଖା ସେହିପରି

ହେବଟି ତହିଁରେ            ଅତି ସୁନ୍ଦର ଗୋ

ବିଞ୍ଚିହେବ ବେଣ୍ଟ ଧରି ।

 

ପଟିବୁଣା ପରେ ପରେ

ଚଟେଇ ବୁଣିବ            ନାନା ଜାତିରେ ଗୋ

ସେ ତ ଲୋଡ଼ା ସବୁ ଘରେ ।

ପୁଣି ଏ ତାଳପତର

ପୂରଦେଇ ଯେବେ            ବୁଣିବ ପେଡ଼ି ଗୋ

ହେବ ସେ କେଡ଼େ ସୁନ୍ଦର ।

 

ଚାଙ୍ଗୁଡ଼ିଟି ବୁଣିଥିଲେ

ଖଇ ମୁଢ଼ି ଚୂଡ଼ା            ବେଶି ମଧୁର ଗୋ

ଚାଙ୍ଗୁଡ଼ିରେ ପୂରାଇଲେ ।

ଫଡ଼ୁଆରେ ଅଳଙ୍କାର

ରଖି ଦେଇଥିଲେ            ଝଟକୁ ଥିବ ଗୋ

କାଳେ କାଳେ ଜୋତି ତାର ।

 

ତାଳ ପତରରେ ଥରେ

ହାତ ହୋଇଗଲେ            ଯାହା ଧରିବ ଗୋ

ତାହା ବୁଣି ହେବ ପରେ ।

ତାଳଗଛ ପରି ଗଛ

ଯେତେ ଯହିଁ ଖୋଜ            ଆଉ ତ ନାହିଁ ଗୋ

ଆଉ ସବୁ ତାହା ପଛ ।

 

କେଡ଼େ ମଜା ତାଳପିଠା

ତାଳସଜ ଠାରୁ            ପାଚିଲା ଯାଏ ଗୋ

ଫଳ ତାର ବଡ଼ ମିଠା ।

ପୁଣି ଏବେ ତାଳରସ

ନିଗାଡ଼ି ରାନ୍ଧିଲେ            ହେଉଛି ଗୁଡ଼ ଗୋ

ସେ ଗୁଡ଼ ଅତି ସରସ ।

 

କୋରଟ ଗୁଣ ତ ଜାଣ

ଯେତେ ଯେତେ କାମ            ହୁଏ ତହିଁରେ ଗୋ

ସବୁଥିରେ ଏହା ଟାଣ ।

ତାଳଝିମିଟିକୁ ବଳି

ଏଡ଼େ ଟାଣ ଏଡ଼େ            ଚିକ୍କଣ ପୁଣି ଗୋ

ଆଉ ନାହିଁ ତାହା ଭଳି ।

 

ତାଳ ଶେଣି ଯେଉଁ ଘରେ

ଲାଗିଥିବ ଜାଣ            ଆୟୁଷ ତାର ଗୋ

ନ ପୁରିବ ଏ ଯୁଗରେ ।

ତାଳଗଛ ଗୋଟିଯାକ

ତିଳେ ନାହିଁ କାହିଁ            ଊଣା ଅଧିକେ ଗୋ

(ସେ ତ) ସୁବର୍ଣ୍ଣର ଥାକ ଥାକ ।

ତାଳଗଛ ବଢ଼ୁଥାଉ

ତାଳଗଛ ଶିରେ            ଶୁଭ ବରଷୁ ଗୋ

ପତ୍ର ଆମେ ପାଉଥାଉଁ

 

୨। କୁଟା

(କୁଆଁ ରପୂନେଇ ଗୀତ ସ୍ୱରରେ ଗାଇବ)

କୁଟା କେରି କେରି ଧର ଲୋ ଭଉଣୀ !

କୁଟା କେରି କେରି ଧର,

ପତର ଖୋଳପା ଉଞ୍ଚିପକାଇଲେ

ଶୀଁଷାଟି କେଡ଼େ ସୁନ୍ଦର ।

ଚାରୋଟି ଶାଖାରେ ପଟି ଲୋ ଭଉଣୀ

ଚାରୋଟି ଶାଖାରେ ପଟି,

ଚାହୁଁ ଚାହୁଁ ବୁଣିଦେବା ଏହିକ୍ଷଣି

ନ ଯିବା ଏଥିକି ହଟି ।

 

ଛୁଞ୍ଚିରେ ଫୋଡ଼ି ସିଇଁବ ଲୋ ଭଉଣୀ

ଛୁଞ୍ଚିରେ ଫୋଡ଼ି ସିଇଁବ,

କୁଟା ଧାରେ ଧାରେ ସୂତା ବସାଇବ

ଉପରେ କିଛି ନ ଥିବ ।

ବେଗ୍‌ଟିଏ ବୁଣିଦେଲେ ଲୋ ଭଉଣୀ

ବେଗ୍‌ଟିଏ ବୁଣିଦେଲେ,

ଠାଣିମାଣି ରଙ୍ଗ ରୂପ ଦେଖି ତାର

ସକଳେ ଭୁଲିବେ ହେଲେ ।

 

ହାତକଉଶଳ ଏହି ଲୋ ଭଉଣୀ

ହାତ କଉଶଳ ଏହି,

କରିହେଇଥିଲେ ଧରି ନ ପାରିବେ

ପାଳକୁଟା ବୋଲି କେହି ।

 

୩। କାଇଚ

(କୁଆଁର ପୂନେଇ ଗୀତ ସ୍ୱରରେ ଗାଇବ)

ବରଷା ଶେଷ ବେଳରେ,

କାଇଁଚ ପାକଳ ହୁଏ ବିଲରେ

ହୁଏ ବିଲରେ ଗୋ,

ଆଣି ଥୋଇଦେଇଥିବ ଘରେ, ଭଉଣୀ ଗୋ ।୧।

ବୁଣାବୁଣି କରିବାକୁ,

କଞ୍ଚା ଥାଉଁ ଚିରି ଥୋଇବ ତାକୁ

ଥୋଇବ ତାକୁ ଗୋ,

ପଛେ ହରବର ଚିରିବାକୁ, ଭଉଣୀ ଗୋ ।୨।

 

ଆମ ଦେଶରେ ଏ ଘାସ,

କେହି ନ କରନ୍ତି ଏହାକୁ ଚାଷ

ଏହାକୁ ଚାଷ ଗୋ,

ଏ ତ ଦୁଃଖୀରଙ୍କୀଙ୍କର ଆଶ, ଭଉଣୀ ଗୋ ।୩।

ଡାଲାଟିଏ କାଇଁଚରେ,

ବୁଣି ଦେଲେ ଖଞ୍ଜି କଲୀରଙ୍ଗରେ

କଲୀରଙ୍ଗରେ ଗୋ,

କିଏ ନ ଚାହିଁବ ଫେରି ଥରେ, ଭଉଣୀ ଗୋ ।୪।

 

କାଇଁଚ ଚାଙ୍ଗୁଡ଼ି ଯାଇ,

ଦୂର ବିଦେଶରେ ସିନା ବିକାଇ

ସିନା ବିକାଇ ଗୋ,

ଟାଣିଆଣେ ଧନ ଆମ ପାଇଁ, ଭଉଣୀ ଗୋ ।୫।

କାଇଁଚ ରୂପକୁ ଚାହିଁ,

କାହା ଆଖି କହ ଭୁଲି ନ ଯାଇ

ଭୁଲି ନ ଯାଇ ଗୋ,

ନ ପାଇଲେ ମନ ହାଇଁ ପାଇଁ, ଭଉଣୀ ଗୋ ।୬।

 

ଆମ ଏ ଦୁଃଖୀ ଦେଶରେ,

ବିହି ଖଞ୍ଜିଛନ୍ତି କେତେ ରୂପରେ

କେତେ ରୂପରେ ଗୋ,

ଖଟି ଖାଇବାପାଇଁ ସୁଖରେ, ଭଉଣୀ ଗୋ ।୭।

ବସି ଯେ ଖଟିବ ନାହିଁ

କିଏ କାହୁଁ କେତେ କହ ତା ପାଇଁ

କହ ତା ପାଇଁ ଗୋ,

ଆଣିଦେବ ତା ପାଶେ ଖଞ୍ଜାଇ, ଭଉଣୀ ଗୋ ।୮।

 

ଭୋକ ଉପାସରେ ମରୁଁ,

କାଇଁଚ ଗୋଟାଇ ଡାଲା ନ କରୁଁ

ଡାଲା ନ କରୁଁ ଗୋ,

ଦଣ୍ଡେ କାମ କରିବାକୁ ଡରୁଁ, ଭଉଣୀ ଗୋ ।୯।

ଭୋକେ ବୁଜି ବସୁଁ ପାଟି,

ପାଟରେ କାଇଁଚ ହୁଅଇ ମାଟି

ହୁଅଇ ମାଟି ଗୋ,

ଆମେ ସେତିକି ନ ଆଣୁ କାଟି, ଭଉଣୀ ଗୋ ।୧୦।

 

କାଇଁଚ ପେଡ଼ି ବୁଣନ୍ତ,

ଆସନ୍ତା କଉଡ଼ି କେତେ ଦେଖନ୍ତ

କେତେ ଦେଖନ୍ତ ଗୋ

ଖାଲି ବସି ହୁଅ ହନ୍ତସନ୍ତ, ଭଉଣୀ ଗୋ ।୧୧।

ପେଟକୁ ଦାନା ନ ଥାଇ,

ଉପରକୁ ଖାଲି ବସିଲେ ଚାହିଁ

ବସିଲେ ଚାହିଁ ଗୋ,

କିଏ ପାଟିରେ ଦେବ ପୁରାଇ ଭଉଣୀ ଗୋ ।୧୨।

 

ବିଧାତା ଦେଇଛି ଖଞ୍ଜି,

କାଇଁଚ ଉଠୁଛି ନ ପୋତି ମଞ୍ଜି

ନ ପୋତି ମଞ୍ଜି ଗୋ,

ଅଳସରେ ହେଇଅଛ ଗଞ୍ଜି, ଭଉଣୀ ଗୋ ।୧୩।

ବିଧାତାକୁ ଦେବ ଦୋଷ,

ନ ପିଇବ ପାଣି ମାରିବ ଶୋଷ

ମାରିବ ଶୋଷ ଗୋ,

ଏବେ କାହାକୁ କରିବ ରୋଷ, ଭଉଣୀ ଗୋ ।୧୪।

 

ବୁଣିବ ଯେବେ କାଇଁଚ,

ବିକିଦେବ ମାପି ଇଞ୍ଚକୁ ଇଞ୍ଚ

ଇଞ୍ଚକୁ ଇଞ୍ଚ ଗୋ

ହାତେ ପିନ୍ଧିବ ସୁନା ପଇଞ୍ଚ, ଭଉଣୀ ଗୋ ।୧୫।

 

୪। କିଆ

(ରାଗ-ମଙ୍ଗଳ)

ବିଧାତା ଦେଇଛି ଯାହା

ଆମରି ହାତ ପାଖରେ,

ହାତେ ଧରି ଖେଳାଇଲେ

ଖେଳିବ ଧନ ହାତରେ;ସମ୍ପଦ ହାତରେ ।

କିଆବୁଦା ପଣ ପଣ

ମାଡ଼ଇ ଦାଣ୍ଡ ଆଗରେ,

ନ ବୁଝୁଛି କି ରତନ

ଫଳଇ ସେହି ଗଛରେ;ସେ କିଆ ଗଛରେ ।

 

ଶୁଖିଗଲେ ତା ପତର

ଗୋଟାଇ ଚୁଲ୍ଲୀମୁହଁରେ,

ନ ଭାଳି ଦେଉଛ ଜାଳି

କେତେ ଧନ ସେତିକରେ; ସେ କିଆ ପତରେ ।

କଞ୍ଚା ଥାଉଁ ଥାଉଁ ଯେବେ

କାଟିଆଣି ଯତନରେ,

ଚିରି ଦେଉଥାନ୍ତ ବସି

ତାଳଶିର ଖଣ୍ଡିକରେ; (କିବା) ଖଜୁର ଶିରରେ ।

 

ଚିରା ପତର ଗୁଡ଼ିକ

ଖାଲି ଗରମ ଜଳରେ,

ସିଝାଇ ପକାନ୍ତି ବସି

ଚାହୁଁ ଚାହୁଁ ଦଣ୍ଡକରେ;ଦଣ୍ଡକ ଭିତରେ ।

ଖରାରେ ଶୁଖାଇ ଖାଲି

ରଖି ଦେଇଥାନ୍ତ ଘରେ,

ନଖରେ ଫିଟାନ୍ତ ବସି

କାମ ନ ଥିବା ବେଳରେ;ବସିଲା ବେଳରେ ।

 

ବୁଣନ୍ତି ଚଟେଇ ଖଣ୍ଡେ

ଯେବେ ସେହି ସେତିକରେ,

ଦେଖନ୍ତ କେଡ଼େ ସୁନ୍ଦର

ହୁଅନ୍ତା ତମ ହାତରେ;ତମରି ହାତରେ ।

କଉଡ଼ି କଉଡ଼ି ଗୁଣି

ହେଉଛ ମନ ଭିତରେ,

କଉଡ଼ି ଆସିବା ବାଟ

ନ ଧରୁଛ କିପାଁ ଥରେ;ନ ଭାଳ ମନରେ ।

 

କିଆପତରକୁ ତୁଚ୍ଛ

କରୁଛ ସିନା ତୁଚ୍ଛାରେ,

ଶୋଇଲେ ମୋହିବ ମନ

କିଆ ଚଟେଇରେ ଥରେ;ଚଟେଇ ଉପରେ ।

କିଆଗଛ ସୁନାଗଛ

ସୁନା ଫଳେ ସେ ଗଛରେ,

ତାକୁ ସେବା କଲେ ଦୁଃଖ

ହରିଯିବା ସହଜରେ; (ଦୁଃଖ) ହରିବ ସଜରେ ।

 

କିଆଚେର ଲଇ କରି

ବାନ୍ଧୁଛ ଘରଚାଳରେ,

ଆଉ କେତେ ଜାତି କାମ

ହେବ ତହିଁ ଅଳପରେ;ହେବ ତା ଚେରରେ ।

କିଆଫୁଲ ସୁଙ୍ଗି ଫିଙ୍ଗି

ଦେଉଛ ଯାହା ଶେଷରେ,

କେତେ ଧନ ହେବ କଲେ

ଅତର ସେହି ଫୁଲରେ;କେଉଡ଼ା ଜଳରେ ।

 

କିଆଗଛ ଟଙ୍କାଗଛ

ଟଙ୍କା ଗୋଟିକ ଯାକରେ,

ଝଡ଼ାଇ ଜାଣିଲେ ଟଙ୍କା

ଝଡ଼ୁଥିବ ସହଜରେ;ଝଡ଼ିବ ସଜରେ ।

ବୁଝ ହେଜ ମନ ଦେଇ

ଧନ ତମରି ପାଖରେ,

ଦେହ ନ ଗଞ୍ଜିଲେ ଧନ

ଧରା ନ ପଡ଼େ ହାତରେ;ନ ପଡ଼େ ହାତରେ ।

 

୫। ଗାଲିଚା

(ଫୁଲ ବଉଳ ବେଣୀ-ବୃତ୍ତରେ ଗାଇବ ।)

ଗାଲିଚା ବୁଣିବ ଆସ ଗୋ ବୋହୁ ମେଣ୍ଢାବାଳରେ,

ଗାଲିଚା ବୁଣିବ ଆସ ଲୋ ଝିଏ ମେଣ୍ଢାବାଳରେ ।

 

କାହୁଁ ଆସୁଥିଲା            ଚାହିଁ ଦେଖୁଥିଲ

ଏତେ ତ ଆମ ହାତରେ ଗୋ

ବୁଣ ମେଣ୍ଢାବାଳରେ ।

ପଲ ପଲ ହୋଇ            ମେଣ୍ଢା ବୁଲୁଛନ୍ତି

ତାଙ୍କରି ସେହି ଲୋମରେ ଗୋ,

ସେହି ମେଣ୍ଢା ଲୋମରେ ।

 

ଗାଲିଚା ବୁଣିବ            କମ୍ବଳ ବୁଣିବ,

ଦେଖିନେଲେ ଖାଲି ଥରେ ଗୋ,

ଖାଲି ଦେଖିଲେ ଥରେ ।

ଟାଣୀ ଭରଣୀକି            ବଳ ଝୋଟବାଣି

ଝୋଟ ତ ଆମ ଦେଶରେ ଗୋ,

ଝୋଟ ଆମ ଦେଶରେ ।

 

ମେଣ୍ଢାବାଳ କାଟି            ଆଣି ସଫା କରି

ସୂତା କାଟ ଅରଟରେ ଗୋ,

ସୂତା କାଟ ହାତରେ ।

ତତଲା ପାଣିରେ            ରଙ୍ଗ ଗୋଳି ତାକୁ

ରଙ୍ଗ କର ନିଜ ଘରେ ଗୋ,

ରଙ୍ଗ କରିବ ଘରେ ।

 

ଗଣ୍ଠି ଦେଇ ଦେଇ            ବୁଣିବ ଗାଲିଚା

ମିଳାଇ ରଙ୍ଗ ରଙ୍ଗ ରେ ଗୋ,

ବୁଣ ନାନା ରଙ୍ଗରେ ।

ଯେମନ୍ତେ ପାଞ୍ଚିବ            ତେମନ୍ତେ ବୁଣିବ

କମ କୁଟ ତା ଭିତରେ ଗୋ,

କମ କୁଟ ଭିତରେ ।

 

ଭିକାରି ବାବୁଙ୍କ            ଗାଲିଚା କଟାଟି

ହେବ ତ ପଇସା କରେ ଗୋ,

ହେବ ପଇସା କରେ ।

ଟଙ୍କାକିଆ ଛୁରୀ            ପାସଙ୍ଗେ ନ ପଡ଼ି

ହଟିବ ତାହାପାଖରେ ଗୋ,

କାହିଁ ତାହା ପାଖରେ ।

 

ହାତ ପରମାରେ            ଆସନରେ ହାତ

ସଜାଡ଼ି ନିଅ ଆଗରେ ଗୋ,

ସାଧି ନିଅ ଆଗରେ ।

ଚାଳରୁ ଝୁଲାଇ            ବଡ଼ ବଡ଼ ପୁଣି

ବୁଣିବ ତହିଁ ପଛରେ ଗୋ,

ବୁଣ ତହିଁ ପଛରେ ।

 

ଆଙ୍ଗୁଠିର ଖେଳ            ଆଙ୍ଗୁଠି ଚଳାଇ

ଜାଣିବ ଯେତେ ବେଗରେ ଗୋ,

ପାର ଯେତେ ବେଗରେ ।

ସେତିକି ସୁନ୍ଦର            ହେବ ସିନା କାମ

ବିକାଇବ ବଜାରରେ ଗୋ,

ବିକାଇବ ଦାଣ୍ଡରେ ।

 

ଯେତେ କମକୁଟ            ଯହିଁ ହେଖିଅଛ

ସବୁ ଏ ହାତ ଗୁଣରେ ଗୋ,

ସବୁ ହାତ ଗୁଣରେ ।

ମାଟି ଯେ ପାଲଟି            ମାଣିକ ହୁଅଇ

ଏହି ହାତ ପରଶରେ ଗୋ,

ଖାଲି ହାତ ଗୁଣରେ ।

 

୬। ସୁଆଁ ଲଇ

(କୁଆଁର ପୂନେଇ ଗୀତ ସ୍ୱରରେ ଗାଇବ)

କାଟିଗଲି ସୁଆଁଲଇ

ସୁଆଁଲଇ ପୁଣି            ମାଡ଼ିଛି ଏତେ ଗୋ

କାଟି କାଟି ନ ସରଇ ।

ଛଡ଼ାଇ ବସିଲି ତାକୁ

ଚୋପା ଛାଡ଼ିଗଲେ            ସଫା ଧୋବଲା ଗୋ

ଭିତରଟି ଦେଖିବାକୁ ।

 

ବୁଣିଲେ ତହିଁରେ ଡାଲା

ଡାଲାଟିଏ ହେବ            ଏଡ଼େ ସୁନ୍ଦର ଗୋ

ଥୋଇବ ଦିଅଙ୍କ ମାଳା ।

ବାଛି ବାଛି ସରୁ ଲଇ

ବୁଣି ଦେଇଥିଲେ            ହାତ ଗୁଣରେ ଗୋ

ଆଖି ଲାଖିଯିବ ତହିଁ ।

 

ଯେଡ଼େ ଟାଣ ଲଇ ଗୁଡ଼

ଯାହା କଲେ ତାହା            ହେବଟି ଟାଣ ଗୋ

ପାଛିଆ ଟୋକେଇ ଝୁଡ଼ି ।

ସୁଆଁଲଇ ଦେଇ ଯେବେ

ମାଞ୍ଚିଆ ଖୁରୁଚି            ବୁଣି ପାରିବ ଗୋ

ଧନୀ ଲୋକେ କିଣିନେବେ ।

 

ରଙ୍ଗଟି ଯେଡ଼େ ସୁନ୍ଦର

ପୋଛେ ପାଲିସ୍‌ରେ            ଚମକି ଯିବ ଗୋ

ରାଜଦରବାର ଘର ।

କେତେ ଲତା ଏହି ଭଳି

ବଣେ ବଣେ ମାଡ଼ି            ଖାଲି ବଣରେ ଗୋ

ଯାଉଛି ଏମନ୍ତେ ଜଳି ।

 

ବିହି ସିନା ଏହିପରି

ଖଞ୍ଜି ଦେଇଛନ୍ତି            କେତେ ସମ୍ପଦ ଗୋ

ଦେଖୁଛ ଦୁନିଆ ଭରି ।

ସବୁ ତ ଆମରି ପାଇଁ

ଆମେ ଯେବେ ହାତ            ବାନ୍ଧି ବସିବା ଗୋ

ଆମ ଦୁଃଖ ଯିବ କାହିଁ ?

 

୭। ଏଣ୍ଡି

(ଫୁଲ ବଉଳବେଣୀ ବୃତ୍ତରେ ଗାଇବ)

ଭିକାରି ବାବୁଙ୍କ ଏଣ୍ଡି ଗୋ, ଫୁଲ ବଉଳବେଣି,

ଏଣ୍ଡିପୋକ ପୋଷି            ଗବପତ୍ର ଖୋଇ

ବସି ମାରୁଥିବ ହେଣ୍ଡି ଗୋ,

ଫୁଲ ବଉଳବେଣି ।୧।

ଅଠର ଦିନଟିପାଇଁ ଗୋ ଫୁ: ବ: *

ଯାହା ଖୋଇଥିବ            ଶେଷ ସେତିକିରେ

ଆଉ ତ ପରେ ନ ଖାଇ ଗୋ, ଫୁ: ବ: ।୨।

 

ଆମ୍ବଡାଳ କିଛି ଆଣି ଗୋ, ଫୁ: ବ:,

ଗୋଟି ଗୋଟି କରି            ପାକଳ ପୋକଙ୍କୁ

ଛାଡ଼ିବ ତହିଁରେ ଜାଣି ଗୋ, ଫୁ: ବ: ।୩।

ପାହି ଗଲେ ଖାଲି ରାତି ଗୋ ଫୁ: ବ:,

ଦେଖିବ ସକାଳେ            କୋଷା ପଣ ପଣ

କୁଣ୍ଢେ ମୋଟ ହେବ ଛାତି ଗୋ, ଫୁ: ବ: ।୪।

 

ସାତଦିନେ କୋଷା କାଢ଼ି ଗୋ, ଫୁ: ବ:

ଗୋଟି ଗୋଟି କରି            ଡାଲାଟିରେ ନେଇ

ରଖିବ ତାକୁ ସଜାଡ଼ି ଗୋ, ଫୁ: ବ: ।୫।

ପିମ୍ପୁଡ଼ିଙ୍କୁ ଜଗିଥିବ ଗୋ, ଫୁ: ବ:

କୋଷା ହେବା ପରେ            ଅଠର ଦିନରେ

ପ୍ରଜାପତିଙ୍କୁ ଦେଖିବ ଗୋ ଫୁ: ବ: ।୬।

 

ପ୍ରଜାପତି ରୂପ ଚାହିଁ ଗୋ, ଫୁ:ବ:

କୋଷାରୁ ବାହାରି            ଆସୁଥିବେ ଦେଖି

ସବୁ ଦୁଃଖ ଭୁଲି ଯାଇ ଗୋ, ଫୁ: ବ: ।୭।

ଆଉ ସେ କିଛି ନ ଖାନ୍ତି ଗୋ, ଫୁ : ବ :

ଅଣ୍ଡା ପଣ ପଣ            ଦେଇସାରି ଖାଲି

ଆପେ ଆପେ ମରିଯାନ୍ତି ଗୋ, ଫୁ: ବ :।୮।

 

ଅଣ୍ଡାକୁ ତୋଳି ରଖିବ ଗୋ, ଫୁ:ବ:

କନା ଖଣ୍ଡିକରେ                  ବାନ୍ଧି ରଖିଦେବ

ପାଞ୍ଚଦିନେ ଫିଟାଇବ ଗୋ, ଫୁ:ବ:।୯।

ଅଣ୍ଡା ପାଉଁଶିଆ ହେଲେ ଗୋ, ଫୁ:ବ:

ଜାଣିବ ଏଥର                  ସାତଦିନ ଦିନେ

ଅଣ୍ଡା ଫୁଟିଯିବ ହେଲେ ଗୋ, ଫୁ:ବ:।୧୦।

 

ବାହାରିବେ ପୋକ ଯେବେ ଗୋ,ଫୁ:ବ:,

କଅଁଳିଆ ଗବ-                  ପତର ତାହାଙ୍କୁ

ଖାଇବାକୁ ଦେବ ତେବେ ଗୋ,ଫୁ:ବ:।୧୧।

କୋଷାକୁ ଦେବ ସିଝାଇ ଗୋ,ଫୁ:ବ:

ପାଣି ହାଣ୍ଡିକରେ                  ନିଆଁରେ ବସାଇ

ତହିଁରେ ସୋଢ଼ା ମିଶାଇ ଗୋ,ଫୁ:ବ:।୧୨।

 

ଏଣିକି ଅରଟ ଧରିଗୋ,ଫୁ:ବ:

କିବା ତାକୁଡ଼ିରେ                  ସୂତା କାଟି ଦେଲେ

ଯିବ ତା ମେହନ୍ତ ସରି ଗୋ,ଫୁ:ବ:।୧୩।

ତନ୍ତୀ ଘରେ ସୂତା ଦେଇ ଗୋ,ଫୁ:ବ:

ଯେଉଁ ଭଳି ଲୁଗା                  କହିବ ସେଭଳି

ବୁଣିବ ସେ ବାଣ ନେଇ ଗୋ,ଫୁ:ବ:।୧୪।

 

ଏଣ୍ଡି ଲୁଗାର ଆଦର ଗୋ,ଫୁ:ବ:

ଦେଶ ବିଦେଶରେ                  ସମସ୍ତେ ଖୋଜନ୍ତି

ଦେଇ ତାକୁ ବେଶି ଦର ଗୋ,ଫୁ:ବ:।୧୫।

ଏଣ୍ଡିପୋକ ପାଳି ଘରେ ଗୋ,ଫୁ:ବ:

ହାତେ ହାତେ ସିନା                        କଉଡ଼ି ଗଣିବ

ବସି ବସି ଆନନ୍ଦରେ ଗୋ,ଫୁ:ବ:।୧୬।

 

ଏଣ୍ଡି ପୋକ ଉପକାରୀ ଗୋ,ଫୁ:ବ:

ଗବପତ୍ର ଖାଇ                  ପାଟ ସୂତା ଦେବେ

ଦୁଃଖୀଙ୍କ ପୋଷଣା ହାରୀ ଗୋ,ଫୁ:ବ:।୧୭।

ବିଧାତା ଭିଆଣ ଏହି ଗୋ,ଫୁ:ବ:

ଦୁଃଖୀଙ୍କୁ ପୋଷିବା                  ପାଇଁ ଏତେ କଥା

ଖଞ୍ଜିଛନ୍ତି ସିନା ସେହି ଗୋ,ଫୁ:ବ:।୧୮।

*ଏଥିରେ ‘ପୁ ବ: ଯେତେ ଜାଗାରେ ଲେଖା ଅଛି ସେଠାରେ ‘‘ଫୁଲ ବଉଳବେଣି’’ ବୋଲି ଗାଇବାକୁ ହେବ।

 

୮। ଝୋଟ

(କୁଆଁରପୂନେଇ ଗୀତ ସ୍ୱରରେ ଗାଇବ)

କେତେ କେତେ ନଳିତା ଗୋ ଆମରି ଦେଶରେ,

ଝୋଟ ହୋଇ କାହିଁ ଚାଲି ଯାଉଛି ଶେଷରେ ।

ଆରମ୍ଭରେ ନଳିତାରେ ଖଟଣି ଯେତିକ

ହିସାବରେ ନ ମିଳଇ ମୂଲରେ ସେତିକ ।

ଏହି ଝୋଟ ଚାଲିଯାଇ ପାଟ ନାମ ଧରି

କେତେ ରୂପେ ଫେରିଆସି ନିଏ ଧନ ହରି ।

ଆମ ଝୋଟ ଆମେ ନ ଚିହ୍ନିପାରୁଁ ତାହାକୁ

ଯାହା ପାଇ ଥାଉଁ, ସାତ ଗୁଣା ଦେଉଁ ତାକୁ ।

 

ପର ହାତ ଗୁଣେ ସିନା ହୋଇ ସେ ପରର

ବେଳେ ବେଳେ ଲୁଟି କରେ ଆସି ଆମ ଘର।

ନ ଜାଣିବା ଦୋଷେ ଅବା ଯେତେ ଦେଇଥାଇଁ

ଯାହା ଜାଣୁ ତାହା ଭଲା ନ କରୁଁ କିପାଁଇ ?

ବରଷରେ ଯେତେ ଝୋଟ ଯାଉଅଛି ଚାଲି

ଜାଣୁଛେଁ ତ ମିଳୁ ନାହିଁ ମୂଲଟିକ ଖାଲି ।

ସେତିକରୁ ବେଶିଧନ କେମନ୍ତେ ମିଳିବ

ଏ ବିଚାର ଦିନେ ହେଲେ କିପାଁ ନ ଭାଳିବ ?

 

ବାଣି କାଟି ଦେଲେ ବସି ଟଙ୍କାକ ଜାଗାରେ

ଦୁଇ ଟଙ୍କା ହେବ ଏହା ଜାଣୁଛେଁ ଉଣାରେ ।

ବାଣି କଟା କାମ ଅବା କେଉଁ ଭିଡ଼ କଥା

କାହିଁପାଇଁ ସେ ଦିଗକୁ ନ ଖଟାଉଁ ମଥା ?

ଅଳସରେ କେତେ ବେଳେ କାଟୁଁ ବସି ବସି

କାହି ଅବା ଖେଳୁଁ କେତେ ତାସ, ପଶା, କଶି ।

ସେହିତକ ବେଳ ଯେବେ ଲଗାନ୍ତୁ ଝୋଟରେ

କେତେ ଗୁଣା ଧନ ତେବେ କମାନ୍ତୁ ହାତରେ ।

 

ବାଣି କାଟି ତାକୁ ରଙ୍ଗ କରିଦେଇ ପୁଣ

ଦରି ବୁଣି ଦେଲେ ମୂଲ୍ୟ ହେବ ତିନି ଗୁଣ ।

ହାତ ଗୁଣେ କଲେ ହେବ ଗାଲିଚା ସୁନ୍ଦର

କେତେ ଜାତି କେତେ କାମ ଅତି ମନୋହର ।

ନୂଆ ନୂଆ କାମ କଥା ଯେତେ ଯେ ଭାଳିବ

ନୂଆ ନୂଆ ବାଟ ତାକୁ ଆପେ ଦେଖାଯିବ ।

 

୯। ଗଛ-ଛାଲିରୁ ରଙ୍ଗ

(କୁଆଁରପୂନେଇ ଗୀତ ସ୍ୱରରେ ଗାଇବ)

ଦେଖ ଲୋ ଭଉଣୀ ଆମ ଦେଶରେ

କେତେ ଜାତି ଗଛ ଚଉପାଶରେ ।

ବନସ୍ତ ଆମର ଗଛରେ ଭରା

ଭେଦି ନ ପାରଇ ତହିଁକି ଖରା ।

ଗଛ ଗୁଡ଼ିକର ଯେତେ ବକଳ

ତହଁରେ ରହିଛି ରଙ୍ଗ ସକଳ ।

ଗଛ ଗୋଟିକରେ ଗୋଟିଏ ରଙ୍ଗ

କେହି ନ ପାରଇ କାହାର ସଙ୍ଗ ।

 

ଲୁଗା ଖଣ୍ଡି ରଙ୍ଗ କଲାବେଳକୁ

କଉଡ଼ି ଗଣୁଛେ ଆମେ ହାଟକୁ ।

କାହୁଁ କାହୁଁ ଆଣି ହାଟୋଇ ଭାଇ

ରଙ୍ଗ ମସା ମସା ଦିଏ ଭଣ୍ଡାଇ ।

ସବୁ ରଙ୍ଗ ଥାଇ ଆମରି ଘରେ

ଆମେ ଗଣୁ ଟଙ୍କା ପରହାତରେ ।

ନ କରିବା ଦୋଷେ ଖାଲି ଏତିକ

ଘରୁ ବୋହି ଦେଉଁ ଧନ ଯେତିକ।

 

ନ ଅଣ୍ଟେ ପେଟକୁ ଖାଇବାପାଇଁ

ତେବେ ଆମ ଆଖି ଫିଟଇ ନାହିଁ ।

ଏଣିକି ଏଥର ଆପଣା ଘରେ

ଗଛରୁ କାଢ଼ିବା ରଙ୍ଗ ହାତରେ ।

ପୁରୁଣା ଗଛର ଗଣ୍ଡିରୁ ବାଛି

ଛଲି ଗୁଡ଼ା ସଦା ଆଣିବ ତାଞ୍ଛି ।

ନୂଆ ଗଛ କିମ୍ୱା ଗଛ ଡାଳରେ

ଅଧିକ ରଙ୍ଗ ନ ମିଳେ ସଜରେ ।

 

ଶିଳରେ କୁଟିଲେ ଛାଲି ଗୁଡ଼ିକ

ଟିକି ଟିକି ହୋଇଯିବ ସେତିକ ।

ମାଟି ହାଣ୍ଡିଟିରେ ପାଣି ଅଜାଡ଼ି

ସିଝାଇ ତା ରଙ୍ଗ ନେବାଟି କାଢ଼ି ।

ତିନି ଘଣ୍ଟ ପଛେ ଜାଳିବା ଚୁଲ୍ଲୀ

ରଙ୍ଗ ନ କିଣିବା ଦାଣ୍ଡରୁ ଭୁଲି ।

ସିଝିଗଲେ ଛାଲି କାଢ଼ି ଥୋଇବା

ପୁଣି ତାକୁ ପଛେ ଜାଳ କରିବା ।

 

ରଙ୍ଗ ପାଣିଟିରେ ଲୁଗା ବୁଡ଼ାଇ

ଆଇ ଅଧ ଘଣ୍ଟ ଦେବା ସିଝାଇ ।

ଲୁଗାକୁ ଉଠାଇ ଟିକିଏ ଲୁଣ

ପକାଇ ବୁଡ଼ାଅ ସେ ଲୁଗା ପୁଣ ।

ଘଣ୍ଟାଟିଏ ସିଝିଗଲେ ଜାଣିବ

ରଙ୍ଗ ହୋଇଗଲା କାଢ଼ି ଥୋଇବ ।

ଚିପୁଡ଼ିଲେ ପାଣି ନିଗିଡ଼ି ଯିବ

ରଙ୍ଗ କି ସୁନ୍ଦର ହେଲା ଦେଖିବ ।

 

ଏଣିକି ଏଥର ତୁତିଆ ପାଣି

ଅବା ହୀରାକସ ଟିକିଏ ଆଣି ।

କିବା ଫିଟିକିରି ଲାଗିବ ଯାହା

କିଣିଲେ ପଛକେ କିଣିବ ତାହା ।

ଏହି ମସଲାରୁ ଗୋଟିଏ ନେବ

ପାଣିରେ ମସାଏ ଗୋଳାଇ ଦେବ ।

ଲୁଗାଟି ଭିଜିବା ଭଳି ଯେତିକି

ଲୋଡ଼ା ହେବ ପାଣିଦେବ ସେତିକି ।

 

ସିଝାଇଲେ ଅଧଘଣ୍ଟା ଏଥର

ରଙ୍ଗ ପକ୍‌କା ହୋଇଯିବ ମୁକର ।

ଆମ୍ୱ ଗଛରୁ ଯେ ରଙ୍ଗ ମିଳଇ

ଚମ୍ପାଫୁଲକୁ ସେ ହେଲେ ଜିଣଇ ।

ଅଶ୍ୱତ୍ଥ ଗଛରୁ ଅଳପ ନାଲି

କଳାରଙ୍ଗ ଦିଏ ପିଜୁଳି ଛାଲି ।

ମିଳେ ହଳଦିଆ ନିମ ଗଛରେ

ବକୁଳ ପଣସ ପୁଣି ବେଲରେ ।

 

ଅଳପ ଅଳପ ପ୍ରଭେଦ ଥାଇ

ଗାଢ଼ ନାଲି ରଙ୍ଗ ଆଛୁରୁ ପାଇ ।

ଶାଳ, ପିଆଶାଳ, ଶିଶୁ, ଅସନ

ଗୋଟିକେ ଗୋଟିଏ ବିଭିନ୍ନ ବର୍ଣ୍ଣ ।

ଯେତେ ଯାହା ଆମେ ଦେଖୁଁ ଆଖିରେ

ଧନ ଭରା ଥାଇ ସବୁ ତହିଁରେ ।

ଆଖି ଥାଉଁ ଯେବେ ନ ଦେଖୁଁ ଚାହିଁ

ଧନ ଖୋଜୁ ଧନ ମିଳିବ କାହିଁ ?

 

ଧନ ଝୁଲୁଥାଇ ହାତ ପାଖରେ

ଧରା ନ ପଡ଼ଇ ହାତ ଦୋଷରେ ।

ପ୍ରଭୁ ଦୟାମୟ ସୁଦୟା କର

ଚିହ୍ନିବା ଶକତି ବଢ଼ୂ ଆମର ।

କାମ କରିବାକୁ ଦିଅ ସୁମତି

ଘୁଞ୍ଚିଯାଉ ଆମ ଦୁଃଖ ଦୁର୍ଗତି ।

 

୧୦। ସତରଞ୍ଜି

ରାଗ- ଚକ୍ରକେଳି

ଏହି ଫରମା ଖଣ୍ଡିକ ଉପରେ

ସୂତା ଗୁଡ଼ାଇ ପକାଅ ସତ୍ୱରେ ।

ଆଗେ ଛଅଖିଆ କରି ସୂତାକୁ

ବଳି ପାକଳ କରିଛୁ ଏହାକୁ ।

ଗଣି ଆଠ ଖିଅ ପ୍ରତି ଇଞ୍ଚରେ

ଭିଡ଼ି ବସାଅ ସୂତା ସମାନରେ ।

ଖିଅ ଗୋଟିକ ଉତ୍ତାରୁ ଗୋଟିଏ

ଟେକି ବାନ୍ଧିନିଅ ବଅ ଧାଡ଼ିଏ ।

 

ଯେଉଁ ଖିଅଗୁଡ଼ି ବାକୀ ରହିବ

ଆଉ ଧାଡ଼ିକେ ସେଗୁଡ଼ି ବାନ୍ଧିବ ।

ସୂତା ନ ବଳି ନଅ ଖିଅ ନିଅ

ବଅ ଉଠାଇ ଥରେ ବୁଣିଦିଅ ।

ଆର ବଅଡ଼ାଙ୍ଗି ଆରଥରକୁ

ଟେକି ବୁଣ ଥରେ ଏହା ପରକୁ ।

ଏହିପରି ଯେତେ ଥର ବୁଣିବ

ପିଟି ପଞ୍ଚାରେ ତାକୁ ବସାଇବ ।

 

ଜଗି ଭରଣୀ ସୂତା ସବୁବେଳେ

ଛାଡ଼ି କୋହଳ ବୁଣୁଥିବ ହେଲେ।

ହେବ ସତରଞ୍ଜି ବୁଣା ଆସନ

ଅତି ସହଜେ ଦେଖ ଏ କେସନ ।

ଲୋଡ଼ା ଏ ଦରବ ସବୁ ଦିନକୁ

ବସି ନ ବୁଣିବା କିପା ମନକୁ ।

ଘରେ ଘରେ ଯାହା କରି ପାରିବା

କିପା ସେତିକ ନିଜେ ନ କରିବା ?